ନ’ତାଲା କୋଠା, ଚା ଖିଆ ଦିପହର

ଚା ଖିଆ ଦିପହର

ରାଜଧାନୀ !

ରହି ରହି ଶୁଭେ ଯେବେ
ପୁଅଛଡା କପୋତୀର କାନ୍ଦ,
କାନ୍ଦି କାନ୍ଦି ରହିଯାଏ
ଝିଙ୍କାରୀର ସ୍ୱର,

ଘଣ୍ଟାରେ ଏଗାର ବାଜେ
ଚା ଖିଆଯାଏ
… ☕

ପୁଣି ନ‌ଅତାଲା କୋଠା କଡ
ବାଲିଗଦା ପରେ
ଖରା ଯେବେ ପଡେ,
ଡାମରା କୁଆର
ଭଙ୍ଗା ରଡି ଯେବେ ଶୁଭେ,

ଘଣ୍ଟାରେ ବାଆର ବାଜେ।
ଚା ଖିଆଯାଏ ।

ନ‌ଅତାଲା କୋଠା ଦେହେ
ଖୋପ ଆଉ ଖୋପ
ନାକ ଆଉ ନାକରେ ଚଷମା,
ହାତ ଆଉ ହାତରେ କଲମ ।

ଫାଇଲରେ ଗାର ବାଜେ,
ଗାର ପରେ ଗାର ଚଢେ।
ଗାରଙ୍କର ମେଳା ଲାଗେ ।
ଫାଇଲଙ୍କ ଗଦା ହୁଏ ।

କିନ୍ତୁ ଯେବେ ପବନଟା ଥମି ଯାଏ,
ଝର୍କାରେ ପର୍ଦା ସବୁ ଜମି ଯାନ୍ତି ।

ଡେଙ୍ଗା ଡେଙ୍ଗା ଝାଉଁଙ୍କର
ଜିର୍ଣ୍ଣ ଛାଇ ତଳେ ଠୋପା ଠୋପା
ଦରଚୁଷା ଆଇସ୍କ୍ରୀମର
ପାଣି ଯେବେ ପଡେ,
କଲମଟା ଶୋଇ ପଡେ,
ଚଷମା ଓହ୍ଲାଇ ପଡେ ।

ଘଣ୍ଟାରେ ଦୁଇଟା ବାଜେ ।
ଚା ଖିଆଯାଏ ।


… ☕

କଲମ ବଦଳେ,
ହାତ ବି ବଦଳେ
ମୁହ ସବୁ, ଝର୍କାର ପର୍ଦାବି ।

ଧଡି ଫଟା ଫାଇଲଙ୍କ ମାଟିଆ ଗଦାରେ
ବହଳିଆ ଧୂଳି ବସି ଯାଏ।
ତଥାପି କୋଠା କଡ
ଇଟା ଗଦା ପରେ
ଖରା ଯେବେ କାଟେ,
ଡାମରା କୁଆର
ଭଙ୍ଗା ରଡି ଶୁଭେ,

ଘଣ୍ଟାରେ ତିନିଟା ବାଜେ।
ଚା ଖିଆଯାଏ ।


… ☕

ରାଜଧାନୀ ପଡିଆରେ
ଖରା ବୁଲୁ ବୁଲୁ
ଗିଲାସ ବଦଳିଯାଏ, ଚାମଚ ବି
ଝର୍କାର ପର୍ଦାମାନ ଫିକା ପଡିଯାନ୍ତି ।
ଷ୍ଟୋଭ୍, ତା ମାଲିକବି ଦେହ ବଦଳାନ୍ତି ।
ତଥାପି ପୁଅଛଡା କପୋତୀର
ସେ କରୁଣ କାନ୍ଦ ଯେବେ ଶୁଭେ,
ଗିଲାସରେ ଚାମଚର
ସେ ପୁରୁଣା ଗୀତ ପୁଣି ବାଜେ ।

ଘଣ୍ଟାରେ ଚାରିଟା ବାଜେ।
ଚା ଖିଆଯାଏ ।

…. ☕

👇🏻
This is an old poem on the babus of ନ’ତାଲା and their Yogic detachment from their allotted work.

It happened during our final year PG.
We had been running to the DHS for our posting which never came.
That is the first time I visited the ନ’ତାଲା . That was also my last.

But the masterly inactivity of those faceless Babus and the repeated rounds of tea in spite of the hot sun had left a lasting impression on me

From my Book of Poem.
Hope, you will appreciate the hot afternoon and our office babus.
🙏

Published by Dr. Ramakanta

Pediatrician and occasional blogger

One thought on “ନ’ତାଲା କୋଠା, ଚା ଖିଆ ଦିପହର

Leave a reply to drjswain Cancel reply